⋇⋆✦⋆⋇🌄ସୁପ୍ରଭାତ🌄 ⋇⋆✦⋆⋇
ଉଙ୍କିତ ସୂର୍ଯ୍ୟ କିରଣର ଲାଲିମାରେ,
କି ମନୋହର ଦିଶେ ଏ ସଂସାର,
ହର୍ଷିତ ହୁଏ ପ୍ରଭାତ,
ଜାଗ୍ରତ ହୁଅନ୍ତି ସମସ୍ତ ସୂତ,
ପ୍ରଫୁଲ୍ଲିତ ହୋଇ ଆରମ୍ଭ ହୁଏ ଦିବସର।
ସୁପ୍ରଭାତର କିରଣ,
ସଞ୍ଚିତ କରାଏ ମନରେ ଶତ ସିଂହର ବଳ,
ଯୋଗାଏ ଶକ୍ତି ମଣିଷକୁ
ଯିବାକୁ ଆଗେଇ ଆଗେଇ ଘେନି ଦଳବଳ।
ସୁପ୍ରଭାତର ଆଗମନେ
ସଂସାର ହୋଇଉଠେ ଉଜ୍ଜ୍ଵଳମୟ,
ପୁଲକ ଭରି ସବୁରି ମନରେ
ନିମନ୍ତ୍ରଣ କରେ ନୂଆ ସମୟ।
ସୁପ୍ରଭାତର ଅସଲି ଡାକରା
ବୁଝିଥାଏ କେତେ ବା ମଣିଷ,
ସେ ସମୟର ଅର୍ଥ ବୁଝିଛି ଯିଏ
ପ୍ରକୃତ ମନୁଷ୍ୟର ପାଇଛି ସେ ଯଶ।
ସୁପ୍ରଭାତ ଦିଏ ମନରେ ଅସରନ୍ତି ଆଶା,
ବଞ୍ଚିବାର ନୂତନ ଜିଜ୍ଞାସା,
ମନୁଷ୍ୟ ମନରେ ଜଗାଏ,
ଦେବଜ୍ଞାନ ପାଇବାର ଏକ ଉଚ୍ଚ ଅଭିଳାଷା।
ସୁପ୍ରଭାତ ସୂଚାଏ
ଜାଗ୍ରତ କରିବାକୁ ନିଜର ଅନ୍ତର୍ମନ,
ତାହାର କର୍ମ ଓ ଚେତନାପୂର୍ଣ ଜ୍ଞାନ,
ସୁଚିନ୍ତନ ନେଇ ଆରମ୍ଭ ହୁଏ ଯାହା ଦିନ,
ଅନ୍ତରାତ୍ମାର ଜ୍ଞାନରେ ପୂର୍ଣିତ ତା' ଜୀବନ।
#lopathewriter
⋇⋆✦⋆⋇✒️✒️🖊️ କଲମ ଗାର 🖊️✒️✒️ ⋇⋆✦⋆⋇
ପ୍ରାଣ ଭରି କରେ ସ୍ନେହ ସଞ୍ଚାର, ଆଜି ଲେଖନୀ ମୋର,
ପ୍ରେମିକର ପ୍ରୀତି ସମ ମନମୁଗ୍ଧକର, ଏ କଲମ ଗାର।
ପ୍ରତି କ୍ଷଣକୁ କାଳିରେ ଧରି, କାଗଜରେ ହୁଏ ଯେ ପ୍ରଚାର,
ସମ୍ପର୍କ ର ସୁମଧୁର ତାନାବାନାରେ ସେ ହୁଏ ବହୁ ଅଧୀର।
ଭାବନାର ଭାସ୍କର୍ଯ୍ୟ ଓ ଅନୁଭୁତିରେ ଭାସେ ହୃଦୟ ମୋର,
ଅବିରଳେ, ଅନବରତେ ଚାଲୁଥାଏ ମୋର ଏ କଲମ ଗାର।
ସ୍ମୃତିର ସମ୍ଭାର, ଅନୁପମ କାରିଗରୀ ଏହା ଶବ୍ଦ ଜାଦୁଗରୀର,
କରେ ବିଚରଣ ବେଳାଭୂମିରେ ହୋଇ ତତ୍ପର, ଏ କଲମ ଗାର।
#lopathewriter
⋇⋆✦⋆⋇ ⏰⏲️ *ସମୟ* ⏲️⏰ ⋇⋆✦⋆⋇
ସଂସାର ଚକ୍ର ର ମୂଖ୍ୟ ଅଖଟିଏ ସିଏ,
"ବହିଚାଲ ମୋ ସାଥେ"- ସର୍ବଦା ସିଏ କୁହେ ।
ଅହରହ ଦିବାନିଶି ଗତିଶୀଳ ଯିଏ,
ପୂର୍ଣ୍ଣତାର ପରିମାପ ନଦୀ ପରି ସିଏ ।।
ଅଟକେ ନାହିଁ କେବେ,ସେ ଚାଲେ ଅବିରଳେ,
ଗଡ଼ିଗଲେ ଥରେ ସମୟ, ପୁନଃ ନ ମିଳେ ।
ଗାଉଥାଏ ସଦା ସଙ୍ଗୀତ ସିଏ ନିଶ୍ଚଳେ,.
ସମ୍ପନ୍ନ କର କର୍ମ ମୋର ଏ ସୁର ତାଳେ ।।
ତାଳ ଦେଇ ସମୟକୁ ଯାଅ ସଦା ବହି,
ପ୍ରତିରୋଧ କଣ୍ଟକିତ ପଥ ମାନ ନାହିଁ ।
ଅଗ୍ରସର ହୁଅ ହେ ଅଗାଢ ଆଶା ନେଇ,
ସମୟ ପ୍ରତି କ୍ଷଣେ ହୁଅ କର୍ମ ବିଜୟୀ ।।
ସମୟର ପରିଚୟ ବଡ଼ ମୂଲ୍ୟବାନ,
ହୁଅ ସଦା ତାହା ପ୍ରତି ପୂର୍ଣ୍ଣ ଯତ୍ନବାନ ।
କଟିଲେ କ୍ଷଣବନ୍ଧନ, ବିଧ୍ବସ୍ତ ଜୀବନ,
ଫେରେ ନାହିଁ ଉହାଡକୁ, ବ୍ୟଥିତ ଏ ମନ ।।
ଭାଗ୍ୟ-କର୍ମ ସହ କେବେ ନ କର କ୍ରୀଡନ,
ସମୟକୁ ସାଥୀ କର, ଗଢ ସୁବନ୍ଧନ ।
ପ୍ରାପ୍ତି ହେବ ଅହରହେ ପରିଣାମ ତୁମ,
ସଜଳ ସଚରେ ବ୍ୟତୀତ ହେବ ଜୀବନ ।।
#lopathewriter
⋇⋆✦⋆⋇ 💐💐 ମୁଁ 💐💐 ⋇⋆✦⋆⋇
ଅନ୍ତହୀନ ସାଗର ମୁଁ,
ଯାହା ଢେଉ ଲହରୀ କୋଳେ
ହଜିଛି ଅନନ୍ତ ସପନ,
ଅସରନ୍ତି ଆଶା ଓ
ଅତୃପ୍ତ ଜୀବନ।
ଲୁକ୍କାୟିତ ଅଶୃ ମୁଁ,
ବହି ଯାଉଛି ଆଖି ପତା ତଳୁ
କହି କହି କେତେ କଥା,
ଅନାୟସେ ଝରିଚାଲିଛି
ଧୋଇଦେଇ ସବୁ ବ୍ୟଥା।
ରଙ୍ଗହୀନ ଇନ୍ଦ୍ରଧନୁ ମୁଁ,
ଲିଭି ଯାଇଛି ମୋର ସପ୍ତରଙ୍ଗ
ଏ ଜୀବନ ଶ୍ରାବଣରେ,
ରଙ୍ଗିବନି ଜୀବନ ମୋର
ଆଉ କେବେ ଫଗୁରେ।
ଅଚଳ ମେରୁଟିଏ ମୁଁ,
ଯାହାର ମେରୁଦଣ୍ଡ
ଆଜି ଯାଇଛି ବଙ୍କି,
ସ୍ନେହର ମିଠା ଜହରରେ
ପ୍ରତାରଣାର ବେଦନାରେ
ଯାହା ଯାଏ ଆହୁରି
ଦିନକୁ ଦିନ ଭାଙ୍ଗି।
ଡେଣା କଟା ପକ୍ଷୀଟିଏ ମୁଁ,
କାଟିଛି ମୋର ଡେଣା
କେଉଁ ଏକ ଶିକାରୀଟିଏ
ଶାଣୁଆ ତୀରରେ,
କେହି ନ ଥିଲେ ମୋର
ଆଜି କେହି ନାହିଁ ମୋର
ଯାହା ପାଶେ ଉଡିଯିବି
ଅମାପ ସାହସ ଭରି
ଏ ଡେଣାହୀନ ଦେହରେ।
କିଏ ମୁଁ ଏ ସଂସାରେ,
କ'ଣ ମୋର ସତ୍ତା,
ଏ ପ୍ରଶ୍ନ ପଚାରି ନିଜକୁ
ପାଏନି ମୋ ନିଜ ପତା।
⋇⋆✦⋆⋇ 💞 ଅନ୍ତହୀନ ପ୍ରତୀକ୍ଷା 💞 ⋇⋆✦⋆⋇
ବହୁଅଛି ମୁଁ ପ୍ରତୀକ୍ଷା ସାଗରେ,
ତା'ର ଆରମ୍ଭ କି ଅନ୍ତ ନାହିଁ,
କୁଟାଖିଅ ସମ ଲାଗେ ଜୀବନ
ତା'ର ଥଳକୂଳ ଦିଶୁ ନାହିଁ।
ତୁମରି ଅନ୍ତରେ ଥିଲି ମୁଁ ଦିନେ
ଆକାଶେ ଚନ୍ଦ୍ରମା ପରି,
ତୁମ ମନ ଉପବନେ ବୁଲୁଥିଲି
ମୁଁ ହୋଇ ସୁନା ମୟୁରୀ।
ସ୍ନେହ ଥିଲା ଅନାବିଳ, ନିଷ୍କଳଙ୍କ
ସଦା ଝରୁଥିଲା ମନୁ ପ୍ରୀତି,
ପାଉଥିଲି ଯାହା ଶୟନ ସପନେ
ସୁଖ ବର୍ଷୁଥିଲା ଦିନ ରାତି।
କରୁଛି ପ୍ରତୀକ୍ଷା, ସେ ଶୁଭ ମୁହୁର୍ତ୍ତର
ହେବ ତୁମେ ଜୀବନ ସାଥୀ,
ତୁମ ବାହୁ ବନ୍ଧନେ ଆବଦ୍ଧ ହୋଇ
ଭୁଲିବି ଦୁନିଆ ପାଇ ପିରତି।
କିନ୍ତୁ ଜାଣିନି, ଏ ପ୍ରତୀକ୍ଷାର
ଅନ୍ତ ଅଛି କି ଅବା ନାହିଁ,
ପ୍ରତୀକ୍ଷା ସାଗରେ, ସମୟ ସ୍ରୋତେ
ଅନାୟସେ ଯାଏ ବହି।
ଦୁଃଖର ସାଗରେ, କାଟୁଛି ଜୀବନ
ଆଖି ଲୁହ ଓଠେ ପିଇ,
ତୁମ ପ୍ରୀତି ପରଶର ଛୁଆଁ ପାଇଁ
ରହିଛି ମୁଁ ଆତୁରେ ଚାହିଁ।
ଗଡୁଛି ସମୟ ଚକ ରୀତିମତୀ
ଭବିଷ୍ୟ କିଛି ଦିଶୁ ନାହିଁ,
କ'ଣ, ମୋ ଅନ୍ତହୀନ ପ୍ରତୀକ୍ଷାର
ଅନ୍ତ କେବେ ହେବ ନାହିଁ।
#lopathewriter
⋇⋆✦⋆⋇ ଝିଅ ⋇⋆✦⋆⋇
ଝିଅ-ଏକ କଅଁଳ ଡାଳି,
ଯେଉଁଠି ସାହା ପାଏ, ଯାଏ ଓହଳି,
କେତେ ବେଳେ ଫୁଟିଯାଏ, ହସ ଢାଳି ଢାଳି,
କେତେ ବେଳେ ଝରିଯାଏ,ଗଲେ ସେ ମଉଳି।
ଝିଅ-ଏକ କଅଁଳ ଡାଳି।
ପ୍ରେମ କରି ବସେ ସିନା, କହିପାରେ ନାହିଁ,
ତା'ର ମନକୁ ବୁଝିବାକୁ, ମନଟିଏ କାହିଁ,
ବସନ୍ତ ରେ ପଡେ ସେ ଝାଉଁଳି,
ଝିଅ-ଏକ କଅଁଳ ଡାଳି।
ମନ କଥା ମନେ ମାରେ, କାନ୍ଦେ କଇଁ କଇଁ,
କାନ୍ଦେ ତା'ର ଶୁଣିବାକୁ, ପାଶେ କେହି ନାହିଁ,
ଦିଏ ସମୟ ତାହାର ବଳି,
ଝିଅ-ଏକ କଅଁଳ ଡାଳି।
ସ୍ଵପ୍ନକୁ ଆଖିରେ ଭରି,ଗଢେ ସେ ସଂସାର,
ସ୍ନେହ ମମତାର ଡୋରେ,ସଜାଏ ସେ ଘର,
ସୁଖେ ଦୁଃଖେ ଯାଏ ସେ ଚଳି,
ଝିଅ-ଏକ କଅଁଳ ଡାଳି।
#lpathewriter
⋇⋆✦⋆⋇ ଧୋକା ⋇⋆✦⋆⋇
ଅଗାଢ ବିଶ୍ଵାସ,ଅଜସ୍ର ପ୍ରେମ,
ଢାଳିଦେଇ ପାଇଛି ମୁଁ ଧୋକା,
ବିଶ୍ଵାସରେ ବିଷ, ପ୍ରେମେ ପ୍ରତାରଣା,
ସଭିଙ୍କଠୁ ପାଇଛି ମୁଁ ଧୋକା।
ଅହଂକାର, ଅପମାନ,
ପ୍ରତାରଣା,ଅସମ୍ମାନ
ଏ ସଭିଙ୍କ ସଙ୍ଗେ ମୋର ଦେଖା,
ସ୍ନେହ ସହୋଦର ପିଟାରା ନେଇ,
ହୃଦୟ କୋଣେ ସଭିଙ୍କୁ ବସାଇ,
ସଭିଙ୍କଠୁ ପାଇଛି ମୁଁ ଧୋକା।
ମଣିଷ ତ ମଣିଷ, ମଣିଷ ମାତ୍ରେ ଭୁଲ-
ଏ କଥା ତ ଅଲିଭା ଲେଖା,
ଆଉ କାହାକୁ ଦୋଷ ଦେବି,
ଯେତେବେଳେ କି
ମୋ ଭାଗ୍ୟ ମୋତେ ଦେଉଛି ଧୋକା।
#lopathewriter
⋇⋆✦⋆⋇ ମୁଁ ଆଉ ତୁ ⋇⋆✦⋆⋇
ମୁଁ ଅଗାଢ ଆଶା,
ଆଉ ତୁ,
ସେ ଆଶାର କିରଣ ,
ମୁଁ ହଜାରେ ଲହଡ଼ି,
ଆଉ ତୁ,
ସେ ଲହଡ଼ି ର ସ୍ପନ୍ଦନ।
ମୁଁ ଅସରନ୍ତି ନିଦ୍ରା
ଆଉ ତୁ,
ସେ ନିଦ୍ରିତ ନୟନ।
#lopathewriter
⋇⋆✦⋆⋇ ଫେରି ଆସନ୍ତା କି ପୁରୁଣା ଦିନ ⋇⋆✦⋆⋇
ତୁମ ପରଶର ଅନୁଭୁତି
ମନେ ଭରୁଥିଲା ଅସଂଖ୍ୟ ସ୍ମୃତି
ମନେ ବିଚରଣ କରୁଥିଲା
ସ୍ପନ୍ଦନର କାହିଁ କେତେ କରାମାତି।
ତୁମେ ଚାଲିଗଲା ପରେ,
କାହିଁ ସେ ପିରତି, କାହିଁ ସେ ଅନୁଭୁତି,
ମନ ଖାଲି ଗଣୁଛି କ୍ଷଣ,
ଫେରି ଆସନ୍ତା କି ପୁରୁଣା ଦିନ ରାତି।
#lopathewriter
⋇⋆✦⋆⋇ ସେ ଅଟକି ଥିଲା ⋇⋆✦⋆⋇
ମୋ ବାଟ ଚାହିଁ,
ପ୍ରେମ ପରଶ ପାଇବା ପାଇଁ,
ମିଚି ମିଚି ତା' ଥିବା ଆଖି
କେତେ କଥା ଯାଉଥିଲା କହି,
କିନ୍ତୁ ତା ହୃଦୟ ବ୍ୟଥା
ମୁଁ କିଛି ବୁଝି ପାରିଲି ନାହିଁ।
ସେ ଅଟକି ଥିଲା
ମୋ ପ୍ରୀତି ପାଇଁ,
ମୋ ଜୀବନର ସାଥୀ ହୋଇ
ଅଙ୍କାବଙ୍କା ସବୁ ରାସ୍ତା
ଦୁହେଁ ମିଶି ଡେଇଁ ଯିବା ପାଇଁ,
କିନ୍ତୁ ତା ନୀରବତା କୁ
ମୁଁ ଛୁଇଁ ପାରିଲି ନାହିଁ।
#lopathewriter
©Lopamudra Pal
****************
Please read my quotes by....
Searching my name in search bar or
Searching in Alphabet seaction "L"
Clicking on the tag of my name
You can bookmark this page in your browser to open my page directly.
Please share my quote to your friends by...
Clicking on the Share buttons given below.
Please give your feedback in Comment section.
Thanks.... 😊😊
**Tell about IconicQuote or
**Share the link with your friends to join IconicQuote
*****************
Welcome Dear Writer
Lopamudra Pal
Thanks. for posting your first quote in IconicQuote. I wish you will post here regularly. Your all post will be shown in one page ...
You can share your link & quotes with your friends.
You can also post poetry & stories too...
Thanks
(IconicQuote)
0 Comments